କଟକ : ଭାରତୀୟ ସଂସ୍କୃତିରେ ସେବା ହେଉଛି ଉତ୍ସର୍ଗୀକୃତ। ଏଥିରେ କାମନା ବା କୌଣସି ଇଚ୍ଛା ରଖାଯାଇନଥାଏ। ସେବା ସହ ଆଉ କିଛି ଯୋଡ଼ାଯାଇପାରିବ ନାହିଁ। ସେବା ହେଉଛି ଖାଣ୍ଟି ସୁନା। ସେଥିରେ ଯାହା ମିଶାଇଲେ ଖାଦ ରହିଯିବ। ସେବା ସହ ସଫଳତା ଯୋଡ଼ିଲେ ତାହା ବ୍ୟବସାୟ ହୋଇଯିବ ବୋଲି ଲୋକସେବକ ମଣ୍ଡଳର ରାଷ୍ଟ୍ରୀୟ ସମ୍ପାଦକ ତଥା ‘ସମାଜ’ର ପ୍ରକାଶକ ଓ ମୁଦ୍ରାକର ନିରଞ୍ଜନ ରଥ ମତବ୍ୟକ୍ତ କରିଛନ୍ତି। ଚିନ୍ମୟ ମିଶନ ଓଡ଼ିଶା ପକ୍ଷରୁ ବାଲିଯାତ୍ରା ଉପର ପଡ଼ିଆଠାରେ ଆୟୋଜିତ ‘ଚିନ୍ମୟ ହନୁମତ୍ ମହୋତ୍ସବ’ର ପଞ୍ଚମ ଦିବସ ଗୁରୁବାର ଅପରାହ୍ଣରେ ‘ସେବା ଓ ସଫଳତା’ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ଯୋଗଦେଇ ଶ୍ରୀ ରଥ କହିଲେ ଯେ ଧର୍ମର ମୂଳ ମନ୍ତ୍ର ହେଉଛି ପରୋପକାର ଏବଂ ଅଧର୍ମ ହେଉଛି ପରକୁ ପୀଡ଼ା ଦେବା। ଧର୍ମରୁ ବିଚ୍ୟୁତ ହେବା ଅର୍ଥ ପଶୁ ସହ ସମାନ ହେବା। ମଣିଷର ମୃତ୍ୟୁରେ ଇହଧାମର ସବୁ କିଛି ପ୍ରିୟବସ୍ତୁ ରହିଯାଏ, କେବଳ ଧର୍ମ ହିଁ ତା’ର ଆତ୍ମା ସାଙ୍ଗରେ ଯାଇଥାଏ। ପିଲାବେଳୁ ଏହି କଥା ସମସ୍ତେ ଜାଣିରଖିବା ଉଚିତ। ପିତାମାତାଙ୍କ ସେବା କଲେ ସବୁ ଦେବତା ଖୁସି ହୁଅନ୍ତି। ପିତାମାତାଙ୍କ ଆଶୀର୍ବାଦ ମହାପୁଞ୍ଜି। କେହି ପିତୃଭକ୍ତ ଜୀବନରେ ଦୁଃଖୀ ବା ଅସଫଳ ହେବା କୌଣସିଠାରେ ଶୁଣାଯାଇନି ବୋଲି ଶ୍ରୀ ରଥ କହିବା ସହ ରାମଭକ୍ତ ହନୁମାନଙ୍କ ସେବା ଓ ସମର୍ପଣର ଭାବ ସମସ୍ତଙ୍କଠାରେ ଉଦ୍ରେକ ହେଉ ବୋଲି ସେ ଆଶାପ୍ରକାଶ କରିଥିଲେ। ମୁଖ୍ୟବକ୍ତା ସ୍ୱାମୀ ସଦାନନ୍ଦ ସରସ୍ୱତୀ କହିଲେ ଯେ ସେବା ହିଁ ସଫଳତା। ସେବାରୁ ସଫଳତାର ଆରମ୍ଭ ଓ ସେବାରେ ହିଁ ଶେଷ। ଯିଏ ସେବା କରେ ସେ ବାସେ ଓ ତାହାର ମହକ ଚାରିଆଡେ ବ୍ୟାପିଯାଏ। ଅନ୍ୟର ସେବା ବା ଉପକାର କଲେ ଭଗବାନ ଆମ ଉପରେ କୃପା କରିଥାନ୍ତି। ଯିଏ ଭଗବାନଙ୍କ ସେବା କରି ଶିଖିଛି ସେ ସବୁ କାମ କରିପାରିବ। ସେବା ଦ୍ୱାରା ଅହଂକାର କମେ, ସ୍ଫୁର୍ତ୍ତି, ନମ୍ରତା ଓ ସମର୍ପଣ ଭାବେ ଆସେ, ଧ୍ୟାନ କେନ୍ଦ୍ରିତ ବା ଏକାଗ୍ର ହୋଇଥାଏ। ମଣିଷ ପାଇଁ ଗୁରୁତ୍ୱପୂର୍ଣ୍ଣ ହେଉଛି ତା’ର ମନ। ମନ ଏକାଗ୍ର ନହେଲେ କୌଣସି କାମରେ ସଫଳତା ମିଳିପାରେନି। ଛାତ୍ରଛାତ୍ରୀ ଏକାଗ୍ର ଚିତ୍ତ ହୋଇ କାର୍ଯ୍ୟ କଲେ ପୂର୍ଣ୍ଣାଙ୍ଗ ଫଳ ପାଇପାରିବେ ବୋଲି ସେ କହିଥିଲେ। ସ୍ୱାମୀ ସର୍ବପ୍ରିୟାନନ୍ଦ ସରସ୍ୱତୀ ଭଜନ ପରିବେଷଣ କରିଥିଲେ। ଅକ୍ଷୟ କୁମାର ଆଚାର୍ଯ୍ୟ ମଞ୍ଚ ସଂଚାଳନ କରିଥିଲେ। ନିହାର ରଞ୍ଜନ ରାୟ, ସଂଗ୍ରାମ କେଶରୀ କରଣ, ବ୍ରହ୍ମଚାରିଣୀ ସ୍ୱାତୀ, ବ୍ରହ୍ମଚାରିଣୀ ପ୍ରତିମା ଓ ବ୍ରହ୍ମଚାରିଣୀ ତୁଳସୀ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ଏହି କାର୍ଯ୍ୟକ୍ରମରେ ବିଭିନ୍ନ ବିଦ୍ୟାଳୟର ଶହଶହ ଛାତ୍ରଛାତ୍ରୀ, ଶିକ୍ଷକ ଓ ଶିକ୍ଷୟିତ୍ରୀ ଅଂଶଗ୍ରହଣ କରିଥିଲେ।
स्त्रोत : Samaj
Comments
Post a Comment