ହାର୍ଦ୍ଦିକଙ୍କୁ ‘ସୁପ୍ରିମ’ ଝଟକା

ନୂଆଦିଲ୍ଲୀ, ୪।୪: ପାଟିଦାର ସମ୍ପ୍ରଦାୟ ନେତା ହାର୍ଦ୍ଦିକ ପଟେଲଙ୍କୁ ପୁଣି ଥରେ ଝଟକା। ମେହସାଣା ଦଙ୍ଗା ମାମଲାରେ ୨ ବର୍ଷ କାରାଦଣ୍ଡ ଉପରେ ନିର୍ବାଚନ ପର୍ଯ୍ୟନ୍ତ ରୋକ ଲଗାଇବାପାଇଁ ଦିଆଯାଇଥିବା ପ୍ରସ୍ତାବକୁ ଖାରଜ କରିଛନ୍ତି ସୁପ୍ରିମକୋର୍ଟ। ଦୁଇଦିନ ତଳେ ଗୁଜରାଟ ହାଇକୋର୍ଟ ମଧ୍ୟ ଆବେଦନକୁ ଖାରଜ କରିଥିଲେ। ଫଳରେ ହାର୍ଦ୍ଦିକ ସୁପ୍ରିମକୋର୍ଟ ଯାଇଥିଲେ॥ ହାଇକୋଟଙ୍କ ଏହି ନିଷ୍ପତ୍ତି ପରେ କଂଗ୍ରେସରେ ଯୋଗ ଦେଇଥିବା ହାର୍ଦ୍ଦିକ ଚଳିତବର୍ଷ ଲୋକସଭା ନିର୍ବାଚନ ଲଢିପାରିବେ ନାହିଁ । ହାର୍ଦ୍ଦିକ ପଟେଲ ସୌରାଷ୍ଟ୍ରର ଜାମନଗର ଲୋକସଭା ଆସନ ପାଇଁ କଂଗ୍ରେସ ତରଫରୁ ଲଢିବା ପାଇଁ ଆଶାୟୀ ଥିଲେ। ସେ ଗତ ୧୨ ମାର୍ଚ୍ଚରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ଉପସ୍ଥିତିରେ ଦଳରେ ଯୋଗ ଦେଇଥିଲେ। ସୂଚନାଯୋଗ୍ୟ କି, ମେହସାଣା ବିସନନଗରରେ ୨୦୧୫ ମାର୍ଚ୍ଚ ୨୩ରେ ଭାଜପା ବିଧାୟକ ରୁଷିକେଶ ପଟେଲଙ୍କ କାର୍ଯ୍ୟାଳୟରେ ଭଙ୍ଗାରୁଜା କରାଯାଇଥିଲା। ଭଙ୍ଗାରୁଜା ଅଭିଯୋଗରେ ହାର୍ଦ୍ଦିକ ପଟେଲ ଓ ଅନ୍ୟ ୨ ଜଣଙ୍କ ବିରୋଧରେ ମାମଲା ରୁଜୁ କରାଯାଇଥିଲା। ଏହାସହ ସେମାନଙ୍କୁ ୫୦ ହଜାର ଲେଖାଏଁ ଆଥିକ ଦଣ୍ଡ ପ୍ରଦାନ କରାଯାଇଥିଲା। ଏହି କାରଣରୁ ହାର୍ଦ୍ଦିକ ଚଳିତବର୍ଷ ନିର୍ବାଚନରୁ ବଞ୍ଚିତ ହୋଇଛନ୍ତି।

Comments