ଲୋକସଭା ନିର୍ବାଚନ: ବାଲାକୋଟ ଯୋଗୁ ଥଣ୍ଡା ପଡ଼ିଛି ରାମମନ୍ଦିର ପ୍ରସଙ୍ଗ

ନୂଆଦିଲ୍ଲୀ, ୧୩।୪: ଚଳିତ ନିର୍ବାଚନରେ ଭୋଟରଙ୍କୁ ହାତେଇବା ପାଇଁ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ନାନା ପ୍ରକାର ପ୍ରୟାସ କରାଯାଉଛି। ତେବେ ବହୁ ଚର୍ଚ୍ଚିତ ରାମମନ୍ଦିର ପ୍ରସଙ୍ଗ ଏହି ନିର୍ବାଚନରେ ଭୋଟରଙ୍କୁ ଆକର୍ଷିତ କରିବାରେ ଅସଫଳ ରହିଛି। ଏହାକୁ ଭାଜପା ନିଜର ଘୋଷଣା ପତ୍ରରେ ସ୍ଥାନ ଦେଇଥିଲେ ବି ପ୍ରଚାରରେ ବାଲାକୋଟ ସର୍ଜିକାଲ ଷ୍ଟ୍ରାଇକ୍‌ ମୁଖ୍ୟ ପ୍ରସଙ୍ଗ ପାଲଟିଛି। ବାଲାକୋଟ ଯୋଗୁ ରାମମନ୍ଦିର ପ୍ରସଙ୍ଗ ଥଣ୍ଡା ପଡ଼ିଛି । ୨୦୧୪ରେ ଭାଜପା ଦେଇଥିବା ପ୍ରତିଶ୍ରୁତି ଫେଲ୍‌ ରହିଥିଲେ ମଧ୍ୟ ଭୋଟରଙ୍କ ଧ୍ୟାନ ଅନ୍ୟ ସ୍ଥାନରେ କେନ୍ଦ୍ରୀତ କରିବାକୁ ଉଦ୍ୟମ ହେଉଥିବା ରାଜନୈତିକ ସମୀକ୍ଷକ ମତପୋଷଣ କରିଛନ୍ତି। ସେହିପରି କଂଗ୍ରେସ ମଧ୍ୟ ରାମମନ୍ଦିର ପ୍ରସଙ୍ଗଠାରୁ ନିଜକୁ ଯଥାସମ୍ଭବ ଦୂରେଇ ରଖିଛି। ଚଳିତ ନିର୍ବାଚନରେ ମେଁ ଭି ଚୌକିଦାର ତଥା ଚୌକିଦାର ଚୋର୍‌ ହୈ ସ୍ଲୋଗାନ୍‌କୁ ଅସ୍ତ୍ର କରିଛନ୍ତି ଉଭୟ ଭାଜପା ଏବଂ କଂଗ୍ରେସ। ୧୯୮୯ଠାରୁ ବର୍ତ୍ତମାନ ସୁଦ୍ଧା କୌଣସି ପ୍ରଧାନମନ୍ତ୍ରୀ ଅଯୋଧ୍ୟା ଗସ୍ତ କରି ନାହାଁନ୍ତି। ରାଜନୈତିକ ଫାଇଦା ପାଇଁ ଏହି ପ୍ରସଙ୍ଗକୁ ବ୍ୟବହାର କରାଯିବା ପାଇଁ ନିର୍ବାଚନର ବହୁ ପୂର୍ବରୁ ଅନୁମାନ କରାଯାଉଥିଲେ ମଧ୍ୟ ତାହା ଶେଷ ସମୟରେ ବାଲାକୋଟ ଯୋଗୁ ତାହା ବାଦ୍‌ ପଡ଼ିଥିବା ସମୀକ୍ଷକ ମତପୋଷଣ କରିଛନ୍ତି।

Comments