ବାରଣାସୀ : ବହିଷ୍କୃତ ବିଏସ୍ଏଫ୍ ଯବାନ ତଥା ସମାଜବାଦୀ ପାର୍ଟିର ପ୍ରାର୍ଥୀ ତେଜ ବାହାଦୂର ଯାଦବଙ୍କ ପ୍ରାର୍ଥୀପତ୍ର ରଦ୍ଦ ହେବା ନେଇ ପୂର୍ବରୁ ଆଶଙ୍କା କରାଯାଉଥିବା ବେଳେ ଏବେ ତାଙ୍କ ପ୍ରାର୍ଥୀପତ୍ର ରଦ୍ଦ ହୋଇ ଯାଇଥିବା ନେଇ ଖବର ମିଳିଛି । ପ୍ରାର୍ଥୀପତ୍ର ରଦ୍ଦ ହେବା ପରେ ସେ ବାରଣାସୀରୁ ଏବେ ପ୍ରାଧାନମନ୍ତ୍ରୀ ମୋଦୀଙ୍କୁ ଟକ୍କର ଦେଇ ପାରିବେ ନାହିଁ । ତାଙ୍କ ସ୍ଥାନରେ ସମାଜବାଦୀ ପାର୍ଟି ଶାଳିନୀ ଯାଦବଙ୍କୁ ପ୍ରାର୍ଥୀ କରିଥିବା ଜଣା ପଡ଼ିଛି ।
ସୂଚନା ମୁତାବକ, ତେଜ ବାହାଦୁର ଯାଦବ ବାରଣାସୀ ଆସନରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିରୋଧରେ ନିର୍ବାଚନ ଲଢ଼ିବାପାଇଁ ଦାଖଲ କରିଥିବା ଦୁଇଟି ପ୍ରାର୍ଥିପତ୍ରରେ ଅସଙ୍ଗତି ରହିଥିବା ଜାଣି ତାଙ୍କୁ ନିର୍ବାଚନ କମିସନ ଆଜି ସକାଳେ ନୋଟିସ୍ ପଠାଇଥିଲେ । ଯାହା ପରେ ତାଙ୍କର ପ୍ରାର୍ଥୀପତ୍ର ରଦ୍ଦ ହୋଇପାରେ ବୋଲି ଆଶଙ୍କା କରାଯାଉଥିଲା । ତେଜ ବାହାଦୂର ପ୍ରଥମେ ବାରଣାସୀ ଆସନରୁ ଜଣେ ସ୍ବାଧୀନ ପ୍ରାର୍ଥୀ ଭାବେ ପ୍ରାର୍ଥିପତ୍ର ଦାଖଲ କରିଥିଲେ। ପରେ ଗତକାଲି ସେ ସପାରେ ଯୋଗ ଦେବା ପରେ ସପା-ବସପା-ଆରଏଲଡି ମେଣ୍ଟ ପ୍ରାର୍ଥୀ ଭାବେ ବାରଣାସୀରୁ ପୁଣିଥରେ ପ୍ରାର୍ଥିପତ୍ର ଦାଖଲ କରିଥିଲେ । କିନ୍ତୁ ଦୁଇଟି ଯାକ ପ୍ରାର୍ଥିପତ୍ରରେ ଅସଙ୍ଗତି ଦେଖାଦେବାରୁ ନିର୍ବାଚନ କମିସନ୍ ଏନେଇ ତେଜ ବାହାଦୁରଙ୍କୁ ନୋଟିସ୍ ପଠାଇଥିଲେ । ତେଜ ବାହାଦୁର ବିଏସଏଫ୍ରୁ ଏନ୍ଓସି (ନୋ ଅବଜେକ୍ସନ୍ ସାର୍ଟିଫିକେଟ୍) ଆଣିବାପାଇଁ ନିର୍ବାଚନ କମିସନ କହିବା ସହ ମେ’ ୧ ତାରିଖ ଦିନ ୧୧ ଟା ସୁଦ୍ଧା ଏବାବଦରେ ଜବାବ ରଖିବାପାଇଁ ତେଜ ବାହାଦୂରଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା ।
Comments
Post a Comment